ସବୁ ଅପେକ୍ଷାର ଘଟିବ ଅନ୍ତ । ବହୁ କଳ୍ପନା ଜଳ୍ପନା ମଧ୍ୟରେ ଆଜିଠାରୁ ଆରମ୍ଭ ହେବ ଆଇପିଏଲ । ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୩ତମ ସଂସ୍କରଣ ଖେଳାଯିବ । ୟୁଏଇର ଦୁବାଇ, ଆବୁଧାବି ଓ ଶାରଜାରେ ୫୩ ଦିନରେ ୬୦ଟି ମ୍ୟାଚ୍ ଖେଳାଯିବ ।
ଚଳିତ ବର୍ଷ କରୋନା ମହାମାରୀ ପାଇଁ ବହୁ କଟକଣା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ଆଇପିଏଲ ହେଉଛି ବିଶ୍ୱର ସବୁଠାରୁ ଧନଶାଳୀ ତଥା ଲୋକପ୍ରିୟ ଟ୍ୱେଂଟି ଟ୍ୱେଂଟି କ୍ରିକେଟ ଲିଗ୍ । ବିଶ୍ୱର ୧୦ରୁ ଅଧିକ ଦେଶର ଖେଳାଳୀ ଏଥିରେ ଖେଳିବାକୁ ଯାଉଛନ୍ତି ।

ତେବେ ୮ଟି ଫ୍ରାଂଚାଇଜି ଏହି ଟୁର୍ଣ୍ଣାମେଂଟ ଖେଳିବେ ।ସାରା ବିଶ୍ୱରେ ମହାମାରୀ କରୋନା ମଧ୍ୟରେ ଆଇପିଏଲ ଆୟୋଜନ କରିବା ବିସିସିଆଇ ପାଇଁ ବହୁ ବଡ ଉପଲବ୍ଧି । ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନଇ ସୁପର କିଙ୍ଗସ୍ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଆଇପିଏଲ ଇତିହାସରେ ଏହା ହେଉଛି ଦୁଇ ସଫଳ ଦଳ । ମୁମ୍ବାଇ ସର୍ବାଧିକ ୪ଥର ଆଇପିଏଲ ଟ୍ରଫି ଜିତିଥିବାବେଳେ ଚେନ୍ନାଇ ୩ଥର ଏହି ସମ୍ମାନଜନକ ଟ୍ରଫି ଜିତିଛି ।

ତେବେ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଥମ ଥର ପାଇଁ ବିନା ଦର୍ଶକରେ ଆଇପିଏଲ ଖେଳାଯିବ । ଦର୍ଶକ କେବଳ ଟିଭିରେ ଦେଖିପାରିବେ । ଏହାସହ ବିଦେଶୀ ଚିଅରଗାର୍ଲ ଏଥିରେ ନାଚିବେ ନାହିଁ । ଚଳିତବର୍ଷ ଆଇପିଏଲ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାର ଥିଲା । ତେବେ କରୋନା ସଂକ୍ରମଣ ପାଇଁ ଏହା ସ୍ଥଗିତ ହେବା ପରେ ୟୁଏଇରେ ଆୟୋଜନ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *