ଜାତୀୟ ସ୍ବୟଂସେବକ ସଂଘର ନାଗପୁର ମୁଖ୍ୟାଳୟରେ ନଅ ଜଣ ବରିଷ୍ଠ ସଦସ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନେ ସମସ୍ତେ ଫୁଲଟାଇମ୍ ସ୍ବୟଂସେବକ। ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୬୦ ବର୍ଷରୁ ଅଧିକ। ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ସହରର ଘରୋଇ ନର୍ସିଂ ହୋମରେ ଭର୍ତି କରାଯାଇଛି।

ଯେଉଁ ନଅ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନେ ମଧୁମେହ ଓ ରକ୍ତଚାପରେ ପୀଡ଼ିତ। ଅବଶ୍ୟ ଏବେ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଓ ସମସ୍ତଙ୍କ ଉପରେ ଔଷଧର ପ୍ରଭାବ ଦେଖିବାକୁ ମିଳୁଛି।

ଅନ୍ୟପଟେ ଆରଏସଏସ ପ୍ରମୁଖ ମୋହନ ଭାଗବତ ଓ ମହାସଚିବ ଭୟାଜୀ ଯୋଶୀ ମଧ୍ୟ ସମାନ ବିଲଡିଂରେ ରହନ୍ତି। ଯଦିଓ ଏବେ ଦୁହେଁ ସେଠାରେ ଉପସ୍ଥିତ ନାହାନ୍ତି। ମାତ୍ର ନଅ ଜଣ ସଂକ୍ରମିତ ସଦସ୍ୟଙ୍କ ଖବର ସେମାନଙ୍କୁ ଦିଆଯାଇଛି। ସଂକ୍ରମିତଙ୍କ ଠାରେ କରୋନାର କୌଣସି ଲକ୍ଷଣ କିନ୍ତୁ ଦେଖା ଦେଇ ନ ଥିଲା। ଏବେ ଆରଏସଏସ ମୁଖ୍ୟାଳୟରେ କରୋନା ମାମଲା ବଢ଼ୁଥିବାରୁ ଏ​‌ହାର ପରିସରକୁ ସାନିଟାଇଜ୍ କରାଯାଇଛି।

ଏହି କ୍ରମରେ ମହାରାଷ୍ଟ୍ରର ଶକ୍ତି ମନ୍ତ୍ରୀ ନୀତିନ ରାଓ୍ବତ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍ କରି ଏକଥା ଜଣାଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ପରୀକ୍ଷା କରିବାକୁ ମଧ୍ୟ ସେ କହିଛନ୍ତି।

ସୁଚନାଯୋଗ୍ୟ ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ତଥା ନାଗପୁର ଲୋକସଭା ସଦସ୍ୟ ନୀତିନ ଗଡ଼କରୀ ମଧ୍ୟ କରୋନାରେ ସଂକ୍ରମିତ। ନାଗପୁରରେ ମାମଲା ବଢ଼ୁଥିବାରୁ ଏବେ ଶନିବାର ଓ ରବିବାର ଜନତା କର୍ଫୂ ଲାଗୁ ହେବ। ସେପ୍ଟେମ୍ବର ୩୦ ପରେ ଏହାକୁ ବଢ଼ାଯିବ କି ନାହିଁ ପରେ ନିଷ୍ପତି ନିଆଯିବ।

Leave a Reply

Your email address will not be published. Required fields are marked *