କେନ୍ଦ୍ର ସରକାର ଆଣିଥିବା ଦୁଇ କୃଷି ବିଲ୍‌ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥ ପ୍ରତି ଆଦୌ ଧ୍ୟାନ ଦିଆଯାଇ ନାହିଁ । ଏ ଦୁଇ ବିଲରେ କେବଳ ବଡ଼ ବ୍ୟବସାୟୀ ଓ ବଡ଼ ଚାଷୀଙ୍କ ସ୍ୱାର୍ଥ ସାଧନ ହେବ । ପ୍ରକୃତ ଚାଷୀ ଯେଉଁମାନେ ଚାଷକୁ ପେସା ଭାବେ ଗ୍ରହଣ କରି ଜୀବିକା ନିର୍ବାହ କରୁଛନ୍ତି କିଛି ଲାଭ ପାଇବେନି । ଚାଷୀ ଅଧିକ ଅଭାବୀ ବିକ୍ରିର ଶିକାର ହେବ । ତେଣୁ ଏ ବିଲକୁ ଚୟନ (ସିଲେକ୍ଟ) କମିଟିକୁ ପଠାଯାଉ । ଆଉଥରେ ସଂଶୋଧନ କରି ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ବିଲ୍‌କୁ ସଂସଦରେ ଆଗତ କରାଯାଉ । ରାଜ୍ୟସଭାରେ କୃଷି ବିଲ୍‌ ଆଲୋଚନା ବେଳେ ରବିବାର ଏମିତି ମତ ରଖିଛି ବିଜୁ ଜନତା ଦଳ । ଦଳର ସାଂସଦ ଡ.ଅମର ପଟ୍ଟନାୟକ ବିଲରେ ଥିବା ତ୍ରୁଟି ବିଚ୍ୟୁତି ସଂପର୍କରେ ଆଲୋଚନା କରିବା ସହ ଏ ବିଲକୁ ଦଳ ବିରୋଧ କରୁଛି ବୋଲି ଦର୍ଶାଇଥିଲେ । ତରବରିଆ ଭାବେ ବିଲ ପାସ୍‌ ନକରି ଅଧିକ ତର୍ଜମା କରିବାକୁ ସେ ଅନୁରୋଧ କରିଥିଲେ ।

ଲୋକସଭାରେ ପାରିତ କୃଷି ବିଲ୍‌ ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟ ପାରିତ ହୋଇଯାଇଛି । ତେବେ ବିଲ୍‌ ସଂପର୍କିତ ଆଲୋଚନା ବେଳେ ଏହାକୁ ବିରୋଧ କରିଥିଲା ବିଜେଡି । ଲୋକସଭାରେ ପୂର୍ବରୁ ଏ ବିଲ୍‌ ବିରୋଧରେ ନିଜ ମତ ରଖିଥିବା ବିଜେଡି ଆଜି ରାଜ୍ୟସଭାରେ ମଧ୍ୟ ଆପତ୍ତି ଉଠାଇବା ସହ ବିରୋଧ କରିଥିଲା ।

ଦଳ ପକ୍ଷରୁ ଆଲୋଚନାରେ ଅଂଶ ଗ୍ରହଣ କରି ସାଂସଦ ଡ.ପଟ୍ଟନାୟକ କହିଲେ, ଭାରତରେ ୬୩ ପ୍ରତିଶତ ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀ ୮୬% ଜମିରେ ଚାଷ କରୁଛନ୍ତି । ମାତ୍ର କେନ୍ଦ୍ରର କୃଷି ବିଲରେ ସେମାନଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇଛି । ଅମଳ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସୁବିଧା ଦେବାକୁ କିଛି ବ୍ୟବସ୍ଥା ନାହିଁ ।

ଅମଳ ପରେ ଚାଷୀ କିଭଳି ଅଭାବୀ ବିକ୍ରିର ଶିକାର ହେବନି ସେ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇନି । ଫସଲ ଅମଳ ପରେ ସଂରକ୍ଷଣ ଓ ଧାର୍ଯ୍ୟ ମୂଲ୍ୟରେ ବିକ୍ରିବଟା ନେଇ ବିଲରେ ଅନୁକୂଳ ବ୍ୟବସ୍ଥା ନାହିଁ । ତେଣୁ ସରକାର ପ୍ରକୃତ ଚାଷୀଙ୍କୁ ଅବହେଳା କରି ଆଇନ ଆଣିଲେ କେବଳ ବଡ଼ ବେପାରୀ ହିଁ ଲାଭ ଉଠାଇବେ ।


କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଆଣିଛନ୍ତି । ଓଡ଼ିଶା ସରକାର ଚାଷୀଙ୍କ ସ୍ୱାର୍ଥ ପାଇଁ ‘କାଳିଆ’ ଯୋଜନା ଆଣିଥିଲା ବେଳେ ଭାଗଚାଷୀଙ୍କ ପାଇଁ ‘ବଳରାମ’ ଯୋଜନା ଆଣିଛନ୍ତି । ବିଜେଡି ସବୁବେଳେ ପ୍ରକୃତ ଚାଷୀଙ୍କ ସହ ରହି ଆସିଛି । ଚୁକ୍ତିଭିତ୍ତିକ ଚାଷ, ବଜାର, ବିକ୍ରିବଟା ଓ ଚାଷୀ ଫସଲର ପ୍ରକୃତ ମୂଲ୍ୟ ପାଇବା ନେଇ ବିଲରେ ସ୍ପଷ୍ଟ କିଛି ବ୍ୟବସ୍ଥା ନାହିଁ । ଚାଷୀଙ୍କ ବୀମା ସୁବିଧାକୁ ଧ୍ୟାନ ଦିଆଯାଇନି । ଶସ୍ୟ ସଂରକ୍ଷଣ ପାଇଁ ପଣ୍ୟାଗାର ବ୍ୟବସ୍ଥା ସଂପର୍କରେ ବିଲ୍‌ରେ କିଛି ଦର୍ଶାଯାଇନାହିଁ । ଏ ବିଲ୍‌ ଭାରତ ବର୍ଷର ଚାଷୀଙ୍କ ସ୍ୱାର୍ଥ ପାଇଁ ଅନୁକୂଳ ନୁହେଁ । ତେଣୁ କେନ୍ଦ୍ର ସରକାର ଏ ବିଲକୁ ଆହୁରି ଅନୁଧ୍ୟାନ କରିବାକୁ ସିଲେକ୍ଟ କମିଟିକୁ ପଠାଇବାକୁ ଅମର ଦାବି କରିଥିଲେ ।

ଉଲ୍ଳେଖଯୋଗ୍ୟ, ପୂର୍ବରୁ ଲୋକସଭାରେ ଏ ବିଲ୍‌ ଆଲୋଚନା ବେଳେ ମଧ୍ୟ ବିଜେଡି ଏହାକୁ ବିରୋଧ କରି ବିଭାଗୀୟ ଷ୍ଟାଣ୍ଡିଂ କମିଟିକୁ ପଠାଇବାକୁ ଦାବି କରିଥିଲା । ଦଳର ସାଂସଦ ଅନୁଭବ ମହାନ୍ତି ବିଲ୍‌ ଆଲୋଚନାରେ ଅଂଶ ଗ୍ରହଣ କରି କହିଥିଲେ, ଏ ବିଲରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ସମଗ୍ର ଦେଶରେ ୬୬୩୦ କୃଷିଭିତ୍ତିକ ଉତ୍ପାଦନ ବିପଣନ କମିଟି (ଏପିଏମସି) ରହିଛି ।

ହାରାହାରି ଭାବେ ୪୯୬ ବର୍ଗ କିମିରେ ଗୋଟିଏ ଏପିଏମସି ରହିଛି, ଯାହା ଦେଶର ଚାଷୀଙ୍କ ପାଇଁ ଯଥେଷ୍ଟ ନୁହେଁ । ଦେଶରେ ଆଉ ୧୦ ହଜାର ଏପିଏମସି ପ୍ରତିଷ୍ଠା କରିବାକୁ ୨୦୧୮ରେ ଦଲୱାଇ କମିଟି କେନ୍ଦ୍ରକୁ ସୁପାରିଶ କରିଛି । ଏହାଛଡ଼ା ଏମିଏମସିରେ ଭିତ୍ତିଭୂମି ମଧ୍ୟ ଅତି ଦୁର୍ବଳ ସ୍ଥିତିରେ ରହିଛି । ତେଣୁ ଚାଷୀ ନିଜ ହକ୍‌ ପ୍ରାପ୍ୟ ପାଇପାରିବ ନା ନାହିଁ ତାହା ବିଲରେ ସ୍ପଷ୍ଟ ହୋଇନି । ଏହା ବିହାରରେ ଲାଗୁ ହୋଇଛି ମାତ୍ର କିଛି ସୁଫଳ ମିଳିନି । ଏ ବିଲ୍‌ ଚାଷୀଙ୍କ ସ୍ୱାର୍ଥ ରକ୍ଷାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିବାର ଆଶଙ୍କା ରହିଛି । ତେଣୁ ଏ ବିଲକୁ ଅନୁଧ୍ୟାନ କରିବାକୁ ଷ୍ଟାଣ୍ଡିଂ କମିଟିକୁ ପଠାଯାଉ ।

କେନ୍ଦ୍ରର କୃଷି ବିଲକୁ ବିଜେଡିର ବିରୋଧକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି । ବିଜେପି ଓ କଂଗ୍ରେସ ଏ ନେଇ ବିଜେଡିକୁ ସମାଲୋଚନା କରିଥିଲା ବେଳେ ବିଜେଡି ଦର୍ଶାଇଛି ଯେ ଚାଷୀଙ୍କ ସ୍ୱାର୍ଥ ସହ ଆମେ ଥିଲୁ ଓ ରହିବୁ । ଆମେ ସ୍ପଷ୍ଟ କରିଥିଲୁ ଯେ କେନ୍ଦ୍ରର ଭଲ କାମକୁ ସମର୍ଥନ ଦେବୁ ଓ ଦେଶ ସ୍ୱାର୍ଥ ଅନୁକୂଳ ନହେଲେ ବିରୋଧ କରିବୁ । ଏ ବିଲ ଚାଷୀଙ୍କ ସ୍ୱାର୍ଥ ଅନୁକୂଳ ନୂହେଁ ତେଣୁ ଆମେ ବିରୋଧ କରୁଛୁ ।

Leave a Reply

Your email address will not be published. Required fields are marked *