ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିଭଳି ରାଜ୍ୟରେ ମଧ୍ୟ ପ୍ରତିଦିନ ହଜାର ହାଜର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ମାର୍ଚ୍ଚ ମାସଠାରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ସରକାର ଏହି ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ଏହାସହ ଅନେକ କରୋନା ଯୋଦ୍ଧା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

ତେବେ ମହାମାରୀ କରୋନା ବେଳେ ରାଜ୍ୟର ହଜାର ହଜାର ସଫେଇ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ସହରକୁ ପରିଷ୍କାର ରଖୁଛନ୍ତି । କରୋନା ଆକ୍ରାନ୍ତଙ୍କ ବର୍ଜ୍ୟ ସଫାକରୁଛନ୍ତି । ଏମାନେ ମଧ୍ୟ କରୋନାର ଆଗଧାଡିର ଯୋଦ୍ଧା ଭାବେ ପରିଚିତ ହୋଇଛନ୍ତି । ହେଲେ ଏମାନେ ମଧ୍ୟ କରୋନା କବଳରୁ ବଂଚିପାରିନାହାନ୍ତି । ଏପରିକି ବହୁ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ତେବେ ସେମାନଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି ।

ରାଜ୍ୟର ୧୧୪ଟି ପୌରସଂସ୍ଥାରେ କାମ କରୁଥିବା ସଫେଇ କର୍ମଚାରୀଙ୍କ କଲ୍ୟାଣ ପାଇଁ ଗରିମା ଯୋଜନା ଆରମ୍ଭ କରିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ସେପ୍ଟିକ୍ ଟାଙ୍କି ତଥା ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରୁ ମଇଳା କାଢୁଥିବା ସଫେଇ କର୍ମଚାରୀମାନେ ଉପକୃତ ହେବେ । ୧୧୪ଟି ପୌରସଂସ୍ଥାରେ କାମ କରୁଥିବା ପ୍ରାୟ ୨୦ହଜାର କର୍ମଚାରୀମାନେ ଏଥିରେ ସାମିଲ ହେବେ ।

ଏଥିରେ ସୋମାନଙ୍କୁ ସ୍ୱତନ୍ତ୍ର ଭତା, ସ୍ୱାସ୍ଥ୍ୟ ସୁବିଧା, ଜୀବନ ବୀମା, ପିଲାଙ୍କ ପାଇଁ ଉଚ୍ଚଶିକ୍ଷା, ଗୃହ ନିର୍ମାଣ ଓ ଦୁଇ ଚକିଆ ଗାଡି କିଣିବା ପାଇଁ ୯୦ ପ୍ରତିଶତ ଅନୁଦାନ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଅନୁକମ୍ପାମୂଳକ ସହାୟତା, ଇପିଏଫ୍‌, ଇଏସଆଇ ଏବଂ ପରିବାର ପେନ୍ସନ ଏମିତି ଅନେକ କଲ୍ୟାଣ ଯୋଜନାର ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନକୁ ସଫଳ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫୦କୋଟି ଟଙ୍କାର କର୍ପସ ପାଣ୍ଠି ରଖିବା ସହ ଏକ ସ୍ୱତନ୍ତ୍ର ରାଜ୍ୟ କମିସନ ଗଠନ କରାଯିବ ବୋଲି ମୁ୍‌ଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *