ଐତିହାସିକ ସହର କଟକ । ଏଠାରେ ପାର୍ବଣର ପରମ୍ପରା ନିଆରା । କଟକରେ ଶାରଦୀୟ ଦଶହରା ପୂଜାର ସ୍ଵତନ୍ତ୍ର ମାଦକତା ଓ ମହକ ରହିଛି । ଶତାଧିକ ବର୍ଷ ହେବ ଏଠାରେ ପାର୍ବଣ ପାରମ୍ପରିକ ରୀତିନୀତିରେ ପାଳିତ ହୋଇ ଆସୁଛି ।

କଟକ ଦୁର୍ଗାପୂଜା କେବେ ଆରମ୍ଭ ହେଲା ତାହାର ସେମିତି କିଛି ନିର୍ଦ୍ଧିଷ୍ଟ ପ୍ରମାଣ ନଥିଲେ ମଧ୍ୟ ଏହା ଷୋଡଶ ଶତାବ୍ଦୀରେ ଆରମ୍ଭ ହୋଇଥିବାର ବୁଦ୍ଧିଜୀବୀ ମାନେ ମତ ଦିଅନ୍ତି । ଗବେଷକ ମାନଙ୍କ ମତରେ ଏହି ଶାରଦୀୟ ଉତ୍ସବର ପରମ୍ପରା ଶ୍ରୀ ଚୈତନ୍ୟ ଦେବଙ୍କ ଓଡିଶା ଆଗମନ ସମୟରୁ ହିଁ ଆରମ୍ଭ ହୋଇଥିଲା । ଶ୍ରୀ ଚୈତନ୍ୟ ଦେବ କେତେକ ବୈଷ୍ଣବ ସଂପ୍ରଦାୟର ବଙ୍ଗୀୟ ପରିବାର ସହ ୧୫୧୦ ଖ୍ରୀଷ୍ଟାବ୍ଦ ରେ ପୁରୀ ଆସିଥିଲେ ଠିକ ଏହା ପରେ ପରେ କଟକ ଆସି ବାଲୁବବଜାରସ୍ଥିତ ବିନୋଦ ବିହାରୀ ମନ୍ଦିରରେ ଅବସ୍ଥାନ କରୁଥିଲେ । ଏହି ସମୟରେ ହିଁ ତାଙ୍କ ଦ୍ଵାରା ମାଁ’ଙ୍କ ଘଟ ପୂଜା ଆରମ୍ଭ ହୋଇଥିଲା । ସେ ପ୍ରଥମେ ପିତୁଳା ଦୁର୍ଗା ମୂର୍ତ୍ତି ସ୍ଥାପନ କରି ପୂଜା କରିଥିଲେ । ଏହି ଘଟଣା କର୍ମରୁ କଟକ ଦୁର୍ଗାପୂଜାର ସୃଷ୍ଟି ବୋଲି ବିଶ୍ବାସ ରହିଛି।

ତେବେ ଆଜକୁ ପ୍ରାୟ ୬୦ ବର୍ଷ ତଳେ କିପରି ଥିଲା କଟକ ପ୍ରସିଦ୍ଧ ଦୁର୍ଗାପୂଜାର ଦୃଶ୍ୟ, ଆସନ୍ତୁ ଜାଣିବା,

ସୂଚନାନୁସାରେ ବିନୋଦବିହାରୀ ପୂଜା ମଣ୍ଡପ କଟକର ସର୍ବପୁରାତନ ଦେବୀ ମଣ୍ଡପ ରୂପେ ବିବେଚନା କରାଯାଏ । ଏହିଠାରୁ ଆରମ୍ଭ ହୋଇଥିବା ମା ଙ୍କର ପୂଜାର୍ଚନା ଦୀର୍ଘ ପାଞ୍ଚ ଶହ ବର୍ଷ ହେବ କଟକରେ ବିଭିନ ସ୍ଥାନରେ ବିଧିବଦ୍ଧ ଭାବେ ପାଳିତ ହୋଇ ଆସୁଛି ।

କଥାରେ ଅଛି କଟକର ଦଶରା, ଢେଙ୍କାନାଳର ଗଜଲକ୍ଷ୍ମୀ , ଭଦ୍ରକର କାଳୀ, ତାଳଚେରର ଗଣେଶ ପୂଜା। ଆଉ ସେହି ପୁରୁଣା କଥା ନାହିଁ। ଏବେ ସମୟ ବଦଳିବା ସହିତ ପୂଜା ଜାକଜମକ ହେବାରେ ଲାଗିଛି। କଟକରେ ଆଉ ଦୁର୍ଗାପୂଜା ସୀମିତ ରହିନି। ରାଜ୍ୟରେ କୋଣ ଅନୁକୋଣରେ ଏବେ ଦୁର୍ଗାପୂଜା ଦେଖିବାକୁ ମିଳୁଛି ।

କଟକ ହେଉ କି କନ୍ଧମାଳ, ଭୁବନେଶ୍ବର ଅବା ବାଲେଶ୍ବର ଚାରିଆଡେ ଦୁର୍ଗାପୂଜା ପାଇଁ ଗାଁ ଓ ସହର ଚଳଚଞ୍ଚଳ। ମା’ ଙ୍କ ପୂଜା ସବୁସ୍ଥାନରେ ହେଉଥିଲେ ମଧ୍ୟ କଟକର ଚାନ୍ଦି ମେଢ ଓ ଭୁବନେଶ୍ବରର ତୋରଣ ଅନ୍ୟତମ ଆକର୍ଷଣ ପାଲଟିଛି। ପୂଜା ମଣ୍ଡପ ଗୁଡ଼ିକରେ ସାଜସଜ୍ଜା , ଭସାଣ ଶୋଭାଯାତ୍ରା, ଆଲୋକ ଓ ତୋରଣକୁ ନେଇ ଚାଲିଛି ପ୍ରତିଯୋଗିତା। ବିଗ୍ ବଜେଟ ଲଢେଇରେ ଟ୍ବିନ୍ସିଟି କଟକ ଓ ଭୁବନେଶ୍ବର ପୂଜା ମଣ୍ଡପର ଝଲସୁଛି ମାଆଙ୍କ ପ୍ରତିମା।

ଆଗରୁ ପେଟ୍ରୋମାକ୍ସ ଓ ମଶାଲ ଆଲୋକ, ଘଣ୍ଟ ଓ ଢୋଲବାଦ୍ୟରେ ମା ଙ୍କୁ ବିଦାୟ ଦିଆଯାଉଥିବାବେଳେ ଏବେ ଆଧୁନିତକାର ସ୍ପର୍ଶରେ ରଙ୍ଗୀନ ହେଉଛି ମାଙ୍କ ଭସାଣଉତ୍ସବ।

Leave a Reply

Your email address will not be published. Required fields are marked *