କଥାରେ ଅଛି ଯେତେବେଳେ ଭଗବାନଙ୍କ ଡାକରା ଆସେ ସେତେବେଳେ ଯିଏ ଯେଉଁଠି ଥିଲେ ବି କିମ୍ବା ଯେତେ ବାଧା ବିଘ୍ନ ଆସିଲେ ବି ଭଗବାନଙ୍କ ଦର୍ଶନ ପାଇଁ ଯିବାକୁ ହୋଇଥାଏ । ସେହିପରି ଜଗନ୍ନାଥ ପ୍ରେମୀ ଦୁଇ ଭକ୍ତ ରାମ ସିଂ ଭଗତ ଓ ଜୟ ସିଂ ମିନା ରାଜସ୍ଥାନରୁ ଚକାଆଖିର ଦର୍ଶନ ପାଇଁ ଆଉ ରସିକନାଗର ଟିକେ ଝଲକ ପାଇବାକୁ ପାଦରେ ଚାଲିଚାଲି ପୁରୀକୁ ଛୁଟି ଆସିଛନ୍ତି ।କାଳିଆକୁ ଦେଖିବେ, ଚକାଆଖିକୁ ଚାହିଁବେ ଆଉ ବଡ ଦେଉଳରେ ଉଡୁଥିବା ବାନାକୁ ଦେଖି ହାତଟେକି କହିବେ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ… ବାସ୍ ମହାବାକୁଙ୍କୁ ମନଭରି ଦର୍ଶନ କରିବାକୁ ସୁଦୂର ରାଜସ୍ଥାନରୁ ଚାଲି ଚାଲି, ଦଣ୍ଡମାରି ଆସିଛନ୍ତି ପ୍ରଭୁଙ୍କ ପରମ ଭକ୍ତ ।

ତେବେ ବଡ ଠାକୁରଙ୍କ ଦର୍ଶନ ପାଇଁ ୨୦୧୯ ନଭେମ୍ବର ୩ ତାରିଖରେ ଜଗା ପାଇଂ ଯାତ୍ରା ଆରମ୍ଭ କରିଥିଲେ ଜୟରାମ । ଆଉ ଦୀର୍ଘ ୨୩୦୦ କିଲୋମିଟର ଅତିକ୍ରମ କରି ପୁରୀରେ ପହଞ୍ଚିଛନ୍ତି ଏମାନେ । ପାଖାପାଖି ବର୍ଷେ କାଳ ରାସ୍ତାରେ ଚାଲି ଏବଂ ଦଣ୍ଡଯାତ୍ରା କରି ଶ୍ରୀକ୍ଷେତ୍ରକୁ ଆସିଛନ୍ତି ଦୁଇ ଭକ୍ତ ।

ଜଗନ୍ନାଥ ଧାମ ପାଇଁ ଯାତ୍ରା ଆରମ୍ଭ କରିବା ବେଳେ ସବୁ ଠିକଠାକ ଥିଲା ମାତ୍ର ଛତିଶଗଡ ସୀମା ପହଞ୍ଚିବା ପରେ କରୋନାର କାୟା ସବୁଠି ଖେଳିଯାଇଥିଲା । ରାସ୍ତାରେ ଆସିବା ବେଳେ କରୋନା ପାଇଁ ସେମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି । ଏମିତିକି ସେମାନେଙ୍କୁ ଆକ୍ରମର ଶିକାର ହେବାକୁ ମଧ୍ୟ ପଡିଛି । ହେଲେ ସବୁ ବିପଦରୁ ପ୍ରଭୁ ଜଗନ୍ନାଥ ରକ୍ଷା କରିଥିବା ସେମାନେ କୁହନ୍ତି ।
ତେବେ ଜଗତର ନାଥ ଜଗନ୍ନାଥଙ୍କୁ ଦେଖିବାକୁ ଅନେକ ଆଶା ନେଇ ଆସିଥିବା ରାମ ସିଂ ଭଗତ ଓ ଜୟ ସିଂ ମିନାଙ୍କ ସବୁ ଆଶା ଆଶାରେ ରହିଗଲା । କାରଣ କରୋନା କଟକଣା ପାଇଁ ମନ୍ଦିର ବନ୍ଦ ଥିବାରୁ କାଳିଆ ଦର୍ଶନରୁ ବଞ୍ଚିତ ଏମାନେ । ତେଣୁ ପତିତପାବନ ଦର୍ଶନ କରି ମନକୁ ବୁଝାଇ ପୁଣି ଫେରିଯିବେ ରସିକନାଗର ରାଜସ୍ଥାନୀ ଭକ୍ତ ।

Leave a Reply

Your email address will not be published. Required fields are marked *