ରୋହିତ ଶର୍ମା ଯେଉଁ ମ୍ୟାଚ୍‌ରେ ଆକର୍ଷଣୀୟ ଇନିଂସ ଖେଳନ୍ତି ସେହି ମ୍ୟାଚ୍‌ରେ କୌଣସି ନା କୌଣସି ରେକର୍ଡ ଭାଙ୍ଗିଥାନ୍ତି । ଦିନିକିଆରୁ ଟି୨୦ ମ୍ୟାଚ୍ ପର୍ଯ୍ୟନ୍ତ ତଥା ଆଇପିଏଲରେ ରୋହିତଙ୍କୁ ବାଦଶାହ ବୋଲି କୁହାଯାଏ । ସେ ଥରେ କ୍ରିଜରେ ସେଟ୍ ହୋଇଗଲେ ତାଙ୍କୁ ଆଉଟ୍ କରିବା କଷ୍ଟକର ।

କ୍ରିଜରେ ରହି ସେ ରନ୍ ବର୍ଷା କରିଥାନ୍ତି । ଆଇପିଏଲରେ ସେ କେକେଆର ବିରୋଧରେ ୫୪ ବଲ୍‌ରୁ ୮୦ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ । ଏହାସହ ମୁମ୍ବାଇକୁ ଜିତାଇଥିଲେ । ଫଳରେ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ତେବେ ଏହି ମ୍ୟାଚରେ ରୋହିତ ଧୋନୀଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ରୋହିତ ୧୮ ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । 

ଆଇପିଏଲରେ କୌଣସି ଭାରତୀୟ ଖେଳାଳି ଏତେଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇ ନାହାଁନ୍ତି । ଧୋନୀ ୧୭ ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ରୋହିତ ଏବେ ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । ତେବେ ୨୧ ଥର ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର କ୍ରିସ୍ ଗେଲଙ୍କ ନାମରେ ରହିଛି । ଏହାପରେ ଏବି ଡିଭିଲର୍ସଙ୍କ ନାଁ ରହିଛି । ସେ ୨୦ ଥର ଶ୍ରେଷ୍ଠ ଖେଳାଳି ପୁରସ୍କୃତ ହୋଇଛନ୍ତି । ୟୁସୁଫ ପଠାନଙ୍କୁ ମଧ୍ୟ ୧୬ ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି ।

ଚଳିତ ଆଇପିଏଲର ପଞ୍ଚମ ମ୍ୟାଚରେ ରୋହିତ ୮୦ ରନ୍ କରିଥିଲେ । ଏହି ଇନିଂସରେ ସେ ୬ଟି ଛକା ଓ ୩ଟି ଚୌକା ମାରିଥିଲେ । ଏହାସହ ସେ ଆଇପିଏଲରେ ୨୦୦ ଛକା ପୂରଣ କରିଛନ୍ତି । ୨୦୦ ଛକା ଲଗାଇଥିବା ସେ ଦ୍ୱିତୀୟ ଅଧିନାୟକ ଅଟନ୍ତି ।

Leave a Reply

Your email address will not be published. Required fields are marked *