ସୁନ୍ଦରଗଡ଼ ବନଖଣ୍ଡର ହେମଗିର ବନାଞ୍ଚଳସ୍ଥିତ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ପୁଣି ଦୁଇଟି ବିରଳ କଳାବାଘ ଦେଖାଯାଇଛି । ଦୀର୍ଘ ଦେଢ଼ବର୍ଷ ପରେ ଏହି ବାଘକୁ ପୁଣି ଦେଖିବାକୁ ମିଳିଛି । କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ସେମାନଙ୍କ ନଜରରେ ପଡ଼ିଥିବା କୁହାଯାଉଛି । କିନ୍ତୁ ବନ ବିଭାଗ ଏ ସମ୍ପର୍କରେ ନିରବ ରହିଛି ।

୨୦୧୮ ମଇ ମାସରେ ଏହି ଜଙ୍ଗଲରେ ଏକ କଳାବାଘ ନଜରକୁ ଆସିଥିଲା । ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ଏକ ବିରଳ କଳାବାଘ ଦେଖାଯିବା ବନବିଭାଗକୁ ବେଶ ଉତ୍ସାହିତ କରିଥିଲା । ଗର୍ଜନପାହାଡ଼ ଉପରେ ବିଭାଗର ପୂରା ଦୃଷ୍ଟି ନିବିଦ୍ଧ କରି ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ସେତେବେଳେ ସୁନ୍ଦରଗଡ଼ ବନବିଭାଗ ପକ୍ଷରୁ ସିସିଟିଭି କ୍ୟାମେରା ଖଞ୍ଜି କଳାବାଘର ଗତିବିଧି ଉପରେ ନଜର ରଖାଯାଇଥିଲା । ବାଘଟି ବର୍ଷେ ଗର୍ଜନପାହାଡ଼ରେ ରହିଥିବା ଭିତରେ ୨୦୧୯ରେ ଦୁଇଟି ଛୁଆ ଜନ୍ମ କରିଥିବା ଚର୍ଚ୍ଚା ହୋଇଥିଲା ।

ସେତେବେଳେ ବିଭାଗ ମଧ୍ୟ ଏଥିରେ ସତ୍ୟତା ଥାଇପାରେ ବୋଲି କହିଥିଲେ । କିନ୍ତୁ ଏହା ପରେ ବାଘଟି ଜଙ୍ଗଲରୁ ଗାଏବ ହୋଇଯାଇଥିଲା । ଏବେ ଦେଢ଼ ବର୍ଷ ପରେ ପୁଣି ଦୁଇଟି କଳାବାଘ ଦୃଷ୍ଟିକୁ ଆସିଥିବା ବେଳେ ଏହା ୨୦୧୮ରେ ପରିଦୃଷ୍ଟି ବାଘର ଛୁଆ ହୋଇପାରନ୍ତି ବୋଲି କୁହାଯାଉଛି ।

ପ୍ରକାଶ ଥାଉ କି ଏ ଯାଏ ଭାରତର ୯ଟି ରାଜ୍ୟରେ କଳାବାଘ ଦେଖାଯାଇଛି । ଦକ୍ଷିଣ ଭାରତର ୯ ଟି ରାଜ୍ୟରେ କଳାବାଘ ଦେଖାଯାଇଛି । ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟରେ ପ୍ରଥମ କରି କଳାବାଘ ଦେଖାଯାଇଥିଲା । କର୍ଣ୍ଣାଟକରେ ୪ ଟି ବାଘ ଅଭୟାରଣ୍ୟ ଥିବା ବେଳେ ଏ ରାଜ୍ୟକୁ କଳାବାଘର ପ୍ରାକୃତିକ ଆବାସସ୍ଥଳୀ ବୋଲି କୁହାଯାଏ ।

Leave a Reply

Your email address will not be published. Required fields are marked *